ଅନୁଷ୍ଠାନ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଅତିଶୀଘ୍ର ତଦନ୍ତ ସାରି ପ୍ରକୃତ ଘଟଣାକୁ ଲୋକଲୋଚନକୁ ଆଣିବାକୁ ଦାବୀ କରାଯାଇଅଛି ।
ଉଲ୍ଲେଖଯୋଗ୍ୟ ଯେ ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ କିଛିଦିନ ପୂର୍ବରୁ ଏକ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । କିଛି ବ୍ୟକ୍ତି ଏହାକୁ ଆତ୍ମହତ୍ୟା କହୁଥିବା ସମୟରେ କିଛି ବ୍ୟକ୍ତି ଏହାକୁ ସୁନିୟୋଜିତ ହତ୍ୟାକାଣ୍ଡ ରୂପେ ଅଭିଯୋଗ କରୁଅଛନ୍ତି ।
ଏହି ଘଟଣାର ନିରପେକ୍ଷ କ୍ରାଇବ୍ରାଞ୍ଚ ତଦନ୍ତ ଦାବୀକରି ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟିଥିବା ସ୍ଥାନ ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇ ପୋଲିସ ଉଚ୍ଚ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟସରକାରଙ୍କର ସଙ୍ଗଠନ ପକ୍ଷରୁ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀକୁ ଗ୍ରହଣ କରାଯାଇଥିବାରୁ ସଙ୍ଗଠନର ରାଷ୍ଟୀୟ ଅଧ୍ୟକ୍ଷ ଡ଼ଃ ଅଭିନ୍ନ ହୋତା, ଉପସଭାପତି ସୁଧାଂଶୁ ମହାନ୍ତି, ପରିବେଶ ଓ ପରିମଳ ବିଭାଗ ଅଧ୍ୟକ୍ଷ ନୀଳମଣି ମିଶ୍ର ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।।